ଓଡ଼ିଶାଲାଇଭ୍‍ ବ୍ୟୁରୋ

ମରାଳମାଳିନୀ ନିଳାମ୍ବୁ ଚିଲିକା ହ୍ରଦରେ ପକ୍ଷୀସଂଖ୍ୟା ହ୍ରାସ ପାଉଥିବାରୁ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ପକ୍ଷରୁ ନିକଟରେ ହୋଇଥିବା ପକ୍ଷୀଗଣନାରୁ ଏହି ତଥ୍ୟ ମିଳିଛି।

୨୦୧୬ ତୁଳନାରେ ଚଳିତ ବର୍ଷ ସମଗ୍ର ଚିଲିକା ଓ ନଳବଣରେ ଆଶାତୀତଭାବେ ପକ୍ଷୀ ସଂଖ୍ୟା ହ୍ରାସ ପାଇଛି। ୨୦୧୬ରେ ଚିଲିକାକୁ ୯,୪୭,୧୯୯ ପକ୍ଷୀ ଆସିଥିବା ବେଳେ ଚଳିତ ବର୍ଷ ୮,୯୩,୩୯୦ ପକ୍ଷୀ ଆସିଥବା ଗଣନାରୁ ଜଣାପଡିଛି।

୨୦୧୬ ତୁଳନାରେ ଚଳିତ ବର୍ଷ ୫୩ ହଜାର ୭୨୯ ପକ୍ଷୀ କମ୍ ଆସିଥିବା ଆକଳନରୁ ଜଣାଯାଇଛି। ପକ୍ଷୀ ଅଭୟାରଣ୍ୟ ନଳବଣରେ ୨୦୧୬ରେ ୩,୭୪,୭୩୫ ପକ୍ଷୀଙ୍କୁ ଚିହ୍ନଟ କରାଯାଇଥିଲା। ଚଳିତବର୍ଷ ଏହି ସଂଖ୍ୟା ୩,୨୦,୮୨୬ରେ ପହଞ୍ଚିଛି। କହିବାକୁ ଗଲେ ଏବର୍ଷ ନଳବଣକୁ ୫୩ ହଜାର ୯୩୧ଟି ପକ୍ଷୀ କମ୍ ଆସିଛନ୍ତି।

ମ୍ୟାନ୍‌ମାର କାମ୍ବୋଡିଆ, ଥାଇଲ୍ୟାଣ୍ଡ ଓ ଭିତଏତ୍‌ନାମ୍‌ରେ ଦେଖବାକୁ ମିଳୁଥିବା ରିଭର ଲ୍ୟାପ୍ ୱିଙ୍ଗ ପ୍ରଜାତିର ପକ୍ଷୀ ଚଳିତବର୍ଷ ଚିଲିକାକୁ ପ୍ରଥମଥର ପାଇଁ ଆସିଥିବା ପକ୍ଷୀ ଗଣନା ବେଳେ ଜଣାଯାଇଛି।  ୨୦୧୬ରେ ଚିଲିକାରେ ୧୬୭ପ୍ରଜାତିର ପକ୍ଷୀ ଚିହ୍ନଟ ହୋଥିବା ବେଳେ ଚଳିତ ବର୍ଷ ୨୦ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିନଥିଲା। ଅର୍ଥାତ୍ ୧୪୭ ପ୍ରଜାତିର ପକ୍ଷୀ ପକ୍ଷୀଗଣନାକାରୀଙ୍କ ନଜରକୁ ଆସିଥିଲା।

ଚିଲିକାକୁ ଚଳିତବର୍ଷ ୯୫ ପ୍ରଜାତିର ୮,୬୭,୮୩୪ ବିଦେଶୀ ପକ୍ଷୀ ଆସିଥିବା ବେଳେ ୫୨ ପ୍ରଜାତିର ସ୍ଥାନୀୟ ପକ୍ଷୀ ଆସିଛନ୍ତି। ଏହି ସ୍ଥାନୀୟ ପକ୍ଷୀସଂଖ୍ୟା ହେଉଛି ୨୫,୫୫୬।  ଚିଲିକାର ଶୋଭା ବଢାଉଥିବା ଏରାପକ୍ଷୀ ୨୦୧୬ରେ ୩୮୨୮ ଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୩୧୪ରେ ସୀମିତ ରହିଛି।

ଚିଲିକାକୁ ୨୧ଟି ଜୋନରେ ବିଭକ୍ତ କରାଯାଇ ୨୧ଟି ଟିମ୍ ମାଧ୍ୟମରେ ପକ୍ଷୀ ଗଣନା କରାଯାଇଥିଲା। ଗଣନା କାର୍ଯ୍ୟରେ ବନବିଭାଗ କର୍ମଚାରୀ, ପକ୍ଷୀ ବିଶେଷଜ୍ଞ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ  ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

୨୦୧୬ ଅପେକ୍ଷା ଚଳିତବର୍ଷ ଚିଲିକାରେ ଜଳସ୍ତାର ଅଧିକ ଥିବାରୁ ବାସସ୍ଥାନ ଓ ଖାଦ୍ୟ ଅନ୍ୱେଷଣରେ ପକ୍ଷୀମାନେ ସ୍ଥଳଭାଗକୁ ଅଧିକ ପସନ୍ଦ କରିଥାଇ ପାରନ୍ତି ବୋଲି ପକ୍ଷୀ ବିଶେଷଜ୍ଞ ତଥା ଡିଏଫ୍‌ଓ ବିକାଶ ରଞ୍ଜନ ଦାଶ କହିଛନ୍ତି।

Comment