ଭାସ୍କର ପରିଚ୍ଛା

ପୁସ୍ତକ ସମୀକ୍ଷା

ଓଡ଼ିଶାର ସାମାଜିକ ଆନ୍ଦୋଳନ ସହିତ ଗତ ୩୫ ବର୍ଷ ଧରି ନିଜକୁ ଜଡ଼ିତ କରିଆସିଥିବା ଏବଂ କାଶୀପୁରରେ ‘ଅଗ୍ରଗାମୀ’ ଅନୁଷ୍ଠାନର ପ୍ରତିଷ୍ଠା ଜରିଆରେ ଆଦିବାସୀଙ୍କ କଥାକୁ ପବ୍ଲିକ ଡୋମେନକୁ ଆଣିବାରେ ଅଚ୍ୟୁତ ଦାସଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ତାଙ୍କର ପୁସ୍ତକ ‘ସେମାନେ ବି ବଞ୍ଚିବେ’ମାଧ୍ୟମରେ ସେ ଆଦିବାସୀମାନଙ୍କ ସମସ୍ୟା ଏବଂ ଅଧିକାର ସମ୍ପର୍କରେ ଏକ ଗଭୀର  ଅନୁଶୀଳନ କରିଛନ୍ତି।

ବିଗତ ବର୍ଷମାନଙ୍କରେ ଓଡ଼ିଶାର ଆଦିବାସୀଙ୍କୁ ନେଇ  ଯେ ବହୁତ କିଛି ବହି ଲେଖାଯାଇଛି ସେ କଥା କୁହାଯାଇ ପାରିବ ନାହିଁ, ଯଦିଓ ଜନସଂଖ୍ୟାର ପାଖାପାଖି ୨୦ ପ୍ରତିଶତ ହେଉଛନ୍ତି ଏହି ଜନଜାତି। ଗୋପୀନାଥ ମହାନ୍ତିଙ୍କ ‘ପରଜା’ ଭଳି  ଉପନ୍ୟାସ ହିଁ ଆଦିବାସୀ ଅଧ୍ୟୁଷିତ ଇଲାକାର ମଣିଷମାନଙ୍କ  କଥା କହିବାର ଭିତ୍ତି ସ୍ଥାପନ କରିଥିଲା। ଆଦିବାସୀଙ୍କ ପାଇଁ ସରକାରମାନେ ବହୁ ପ୍ରକାର ଯୋଜନା ପ୍ରସ୍ତୁତ କରିଆସୁଛନ୍ତି ସତ; ହେଲେ ଏଗୁଡ଼ିକ ସେମାନଙ୍କ ମୌଳିକ ଅଧିକାରକୁ ସହଜସାଧ୍ୟ କରିବାରେ ବିଫଳ ହୋଇଛି, ଏହା ଏକ ସର୍ବସ୍ଵୀକୃତ ବିଷୟ। ପୂର୍ବ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀ ଯାହା କହିଥିଲେ ଗରିବଙ୍କ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥର ୧୫ ପ୍ରତିଶତ ବି ସେମାନଙ୍କ ପାଖରେ ପହଞ୍ଚୁ ନାହିଁ।

ସରକାରଙ୍କ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ କେତେ ଖର୍ଚ୍ଚ ହେଉଛି, କେତେ ବାଟମାରଣା ହେଉଛି ସେ ସବୁର ପର୍ଦ୍ଦାଫାସ୍ କରିବା କାମ ମୂଳତଃ ସାମ୍ବାଦିକମାନଙ୍କର। ତେବେ ଆଦିବାସୀ ଅଞ୍ଚଳର ସମସ୍ୟା, ସେମାନଙ୍କ ସୁବିଧା ଅସୁବିଧା, ଏବେ ସେଠି କ’ଣ ଘଟୁଛି, ଜଗତିକରଣର ପ୍ରଭାବ, ଜଙ୍ଗଲ  ଅଧିକାର, ପେସା ଆଇନ, ଆଦିବାସୀଙ୍କ ସ୍ୱର କିଭଳି ଆଜିକାଲି ଅଧିକ ଜୋରଦାର ହୋଇଛି କିମ୍ବା ଲୁଚି ଯାଇଚି, ସମାଜର ମୁଖ୍ୟ ସ୍ରୋତରେ ସେମାନେ ସାମିଲ ହୋଇପାରିଛନ୍ତି କି ନା ଏସବୁର ବ୍ୟାପକ ବ୍ୟାଖ୍ୟାନ ନିତାନ୍ତ ଆବଶ୍ୟକ।

ଅଚ୍ୟୁତ ଦାସଙ୍କ ଏହି ପୁସ୍ତକଟି ସେହି ଆବଶ୍ୟକତାକୁ ପୂରଣ କରିବାରେ ସଫଳ ହୋଇଛି ବୋଲି କୁହାଯାଇପାରେ। ଓଡ଼ିଶାର ସାମାଜିକ ଆନ୍ଦୋଳନ ସହିତ ବିଗତ ୩୫ ବର୍ଷ ଧରି ନିଜକୁ ଜଡ଼ିତ କରି ଆସିଥିବା ଏବଂ କାଶୀପୁରରେ ‘ଅଗ୍ରଗାମୀ’ ଅନୁଷ୍ଠାନର ପ୍ରତିଷ୍ଠା ଜରିଆରେ ଆଦିବାସୀଙ୍କ କଥାକୁ ପବ୍ଲିକ ଡୋମେନକୁ ଆଣିବାରେ ଅଚ୍ୟୁତ ଦାସଙ୍କ ଉଲ୍ଲେଖନୀୟ ଅବଦାନ ରହିଛି।

ସବୁଠାରୁ ବଡ଼ କଥା ହେଉଛି ଆଦିବାସୀଙ୍କ ସହିତ ସେ ରହିଛନ୍ତି, ସେମାନଙ୍କ ସହିତ କାମ କରିଛନ୍ତି ଓ ଏବେ ସେହିସବୁ କଥାକୁ ସେ ନିରନ୍ତର ଲେଖି ଚାଲିଛନ୍ତି।

‘ସେମାନେ ବି ବଞ୍ଚିବେ’  ପୂର୍ବରୁ ଏକ ଖବରକାଗଜରେ ପ୍ରକାଶିତ ଧାରାବାହିକ ଲେଖାର ସଂକଳନ। ତେବେ ଆଦିବାସୀଙ୍କ ସମ୍ପର୍କରେ  ଆଲୋଚନା ଓ ପର୍ଯ୍ୟାଲୋଚନାର  ଏକ ନୂଆ ଦିଗନ୍ତ ସୃଷ୍ଟି କରିଛି ଏହି ଭଳି କେତୋଟି ପୁସ୍ତକ।

ସମାଜର କଥା, ସାଧାରଣ ଲୋକଙ୍କ କଥା ଓ ପ୍ରଚଳିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଲେଖିବା ଏକ ସହଜସାଧ୍ୟ କାମ ନୁହେଁ। ଏଥିପାଇଁ ଦରକାର ଏକ ବୌଦ୍ଧିକ ଅଙ୍ଗୀକାର, ସେହିଭଳି ଏକ ସୃଜନାତ୍ମକ  ପରିବେଶ ଓ ନିଜେ ବୁଝି ଅନ୍ୟକୁ ବୁଝିବାର ଅହରହ ଉଦ୍ୟମ।

ଅଚ୍ୟୁତ ଦାସଙ୍କ ଧାରାବାହିକ ଲେଖାଲେଖି ଓ ପୁସ୍ତକ ପ୍ରକାଶନର ମୂଳଦୁଆ ପଡ଼ିଥିଲା ‘ଓଡ଼ିଶା ଭାସ୍କର’ରେ ଏହି ସାମ୍ବାଦିକ ଯେତେବେଳେ ସମ୍ପାଦନା ଦାୟିତ୍ୱରେ  ଥିଲା।ଖୁସିର ବିଷୟ ଯେ  ସେହି ଧାରାବାହିକତାକୁ  ଲେଖକ ବଜାୟ ରଖିବାକୁ ଚେଷ୍ଟା କରିଛନ୍ତି।

ଚିନ୍ତାଦ୍ୟୋତକ ପ୍ରବନ୍ଧ ଲେଖିବାରେ ଓ ସମାଜର ଏକ ନିର୍ଦ୍ଦିଷ୍ଟ ବର୍ଗଙ୍କ ସମ୍ପର୍କରେ ଆଲୋଚନା କରିବାରେ ଅଚ୍ୟୁତ ଦାସ ଯେଉଁ ନିପୁଣତା ହାସଲ କରିଛନ୍ତି ତାର ସଦ୍ୟତମ ନମୁନା ହେଉଛି ଆଲୋଚ୍ୟ ପୁସ୍ତକ।’ଶିକ୍ଷା ସନ୍ଧାନ: ଦ୍ୱାରା ପ୍ରକାଶିତ ୨୦୦ ପୃଷ୍ଠାର ଏହି ପୁସ୍ତକର ଲେଖାଗୁଡ଼ିକ  ‘ସର୍ବସାଧାରଣ’ ଖବରକାଗଜରେ ପ୍ରକାଶ ପାଇଥିଲା।

ଆଦିବାସୀଙ୍କ ଜୀବନ, ସଂସ୍କୃତି, ଇତିହାସ, ଗ୍ରାମସଭା, ଜାତିସଂଘର ନିରନ୍ତର ବିକାଶ କାର୍ଯ୍ୟକ୍ରମ, ଆଦିବାସୀଙ୍କ ବିକାଶରେ ସ୍ୱେଚ୍ଛାସେବୀ ସଙ୍ଗଠନର ଭୂମିକା, ଆଦିବାସୀ ଅଞ୍ଚଳରେ ଶିଳ୍ପାୟନ, ଆଦିବାସୀ ଜିଲ୍ଲାପାଳଙ୍କ ଶତୃ ନା ମିତ୍ର ଏହି ଭଳି ବିଭିନ୍ନ ତର୍କପୂର୍ଣ୍ଣ ପ୍ରସଙ୍ଗକୁ ଭିତ୍ତିକରି ପ୍ରାୟ ୫୦ ଟି ଲେଖାରେ ସମୃଦ୍ଧ ଏହି ଆଲୋଚନାରେ କିଛି ପୁରୁଣା କଥା ବି ରହିଛି ଯାହା ଅନେକେ ହୁଏତ ଜାଣନ୍ତି।

ତେବେ ସେହି ସବୁ ପୁରୁଣା ପ୍ରସଙ୍ଗକୁ ଏକ ତାତ୍କାଳିକ ପୃଷ୍ଠଭୂମିରେ ଥୋଇବା  ନିଶ୍ଚିତ ଭାବରେ ଏକ ବଡ଼ ଚ୍ୟାଲେଞ୍ଜ। ଆଦିବାସୀଙ୍କ ସାମଗ୍ରିକ ବିକାଶ ପରିପ୍ରେକ୍ଷୀରେ ଏବଂ ଜନଜାତିଙ୍କ ସାହିତ୍ୟ ପାଇଁ ଏହି ପୁସ୍ତକର ଅବଦାନ ଅନସ୍ଵୀକାର୍ଯ୍ୟ। ଲେଖକ ନିଜେ କହିଛନ୍ତି ଯେ ପୁସ୍ତକଟି  ‘ସଂଗ୍ରାମରତ ଆଦିବାସୀ ଭାଇଭଉଣୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଆଶାରେ ଲେଖାଯାଇଛି।’

ଓଡ଼ିଶାର ଆଦିବାସୀମାନଙ୍କ ସରଳ ଜୀବନଯାପନ ଯେଉଁଭଳି ଶିଳ୍ପାୟନ ଓ ଆଧୁନିକତାର ଚକ ତଳେ ଚାପି ହୋଇ ଚାଲିଛି ଏବଂ ଆଦିବାସୀ ଇଲାକାଗୁଡ଼ିକ ଯେଉଁଭଳି ସେମାନଙ୍କର ଭୌଗୋଳିକ ଚରିତ୍ର ହଜେଇ ଚାଲିଛନ୍ତି, ତାହାର ନିରନ୍ତର ଆଲୋଚନା ଆବଶ୍ୟକ। ଅଚ୍ୟୁତ ଦାସଙ୍କ ଭଳି ଯେଉଁମାନେ ଆଦିବାସୀ ଅଞ୍ଚଳରେ କାମ କରୁଛନ୍ତି ସେମାନଙ୍କଠାରୁ ବି ଏହିଭଳି ଗବେଷଣା ଓ ଅନୁଧ୍ୟାନର ଅପେକ୍ଷା ରଖାଯାଇପାରେ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Comment