ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତର ପ୍ରଦେଶର ମୈନ୍‌ପୁରୀ ଜିଲ୍ଲାରେ ଘରୋଇ ବସ୍‌ ଓଲଟି ପଡ଼ି ୧୭ ଜଣ ଯାତ୍ରୀ ପ୍ରାଣ ହରାଇବା ସହ ୩୭ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ଉତ୍ତର ପ୍ରଦେଶର ମୈନ୍‌ପୁରୀ ଜିଲ୍ଲାରେ ବୁଧବାର ଦିନ ସକାଳୁ ଘଟିଛି ଏକ ଅଘଟଣ। ଘରୋଇ ବସ୍‌ ଓଲଟି ପଡ଼ି ୧୭ ଜଣ ଯାତ୍ରୀ ପ୍ରାଣ ହରାଇବା ସହ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାକୁ ନିଆଯାଇଛି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ବୋଲି ଜଣାଯାଇଛି।

ବସଟି ଦ୍ରୁତ ବେଗରେ ଯାଉଥିବାବେଳେ ଚାଳକ ନିୟନ୍ତ୍ରଣ ହରାଇ ବସିବାରୁ ବସ୍‌ଟି ରାସ୍ତା ଡିଭାଇଡର୍‌ରେ ଧକ୍କା ହୋଇଥିଲା। ଧକ୍କା ଯୋଗୁଁ ବସ୍‌ଟି ଓଲଟି ପଡ଼ିଥିଲା। ଫଳରେ ଦୁର୍ଘଟଣା ସ୍ଥଳରେ ବହୁ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଯାତ୍ରୀ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ଅଛି ବୋଲି ଆହତଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି।

ଦୁର୍ଘଟଣାରେ କୌଣସି ମତେ ବସ୍‌ ଚାଳକ ବଞ୍ଚିଯାଇଛନ୍ତି। ସେ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସ୍ଥାନୀୟ ପ୍ରଶାସନର ଅଧିକାରୀ ଓ ପୁଲିସ ପୀଡ଼ିତମାନଙ୍କୁ ସହାୟତା କରିବାକୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Comment