ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ

ଆନ୍ଧ୍ରପ୍ରଦେଶ ଓ ଓଡିଶା ସୀମାନ୍ତରେ ଥିବା ବହୁ ଗାଁକୁ ନାହିଁ ସଡ଼କ ବ୍ୟବସ୍ଥା। ଏଠାରେ ମାଓବାଦୀଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଣୁ ଆନ୍ଧ୍ର ଓଡିଶା ସୀମାନ୍ତରେ ଆନ୍ଧ୍ର ସରକାର ସଡ଼କ ନିର୍ମାଣ କରିବାକୁ ଯୋଜନା କରିଛନ୍ତି।

ଆନ୍ଧ୍ରପ୍ରଦେଶ ଅଧୀନରେ ରହିଥିବା ଶ୍ରୀକାକୁଲମ ଜିଲ୍ଲାରେ ୧୦୦ଟି, ବିଜୟନଗରମ  ଜିଲ୍ଲାରେ ୫୭ଟି, ବିଶାଖାପାଟଣା ଜିଲ୍ଲାରେ ୪୫ଟି ଗାଁରେ ରାସ୍ତା ନିର୍ମାଣ ହେବ। ସେହିପରି ପୁର୍ବଗୋଦାବରୀ ଜିଲ୍ଲାରେ ୧୮ଟି, ପଶ୍ଚିମ ଗୋଦାବରୀ ଜିଲ୍ଲାରେ ୨୭ଟି ଓ ଗୁଣ୍ଟୁର ଜିଲ୍ଲାରେ ୬୨ଟି ମାଓ ପ୍ରଭାବିତ ଗାଁରେ ରାସ୍ତା ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ଆନ୍ଧ୍ର ସରକାର।

ଏ ସମ୍ପର୍କରେ ଶ୍ରୀକାକୁଲମ ଜିଲ୍ଲାପାଳ, ପୋଲିସ ଅଧିକାରୀ, ପଞ୍ଚାୟତିରାଜ ବିଭଗର ଯନ୍ତ୍ରୀ, ଜିଲ୍ଲା ସଡ଼କ ଓ ପରିବହନ ବିଭାଗର ଅଧିକାରୀ ଓ ଜଙ୍ଗଲ ବିଭାଗର ଅଧିକାରୀଙ୍କୁ ନେଇ ବୈଠକ ଶ୍ରୀକାକୁଲମ ଜିଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା।

ଏହି ବୈଠକରେ ଶ୍ରୀକାକୁଲମ ପୋଲିସ କମିଶନର ତ୍ରିବିକ୍ରମ ବର୍ମା କହିଥିଲେ, ଶ୍ରୀକାକୁଲମ ଜିଲ୍ଲାର ୧୦୦ଟି ଗ୍ରାମ ପାହାଡ଼ିଆ ଅଞ୍ଚଳରେ ରହିଥିବା ବେଳେ ଏଠାକୁ ପହଞ୍ଚିବା ପାଇଁ କୌଣସି ସଡ଼କର ସୁବିଧା ନାହିଁ। ଏଠାରେ କୌଣସି ସରକାରୀ କାର୍ଯ୍ୟକ୍ରମ ସଠିକ ରୂପେ ନ ପହଞ୍ଚିବାରୁ ଏଠାକାର ଆଦିବାସୀମାନେ ବହୁଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ସୁଯୋଗ ନେଇ ମାଓବାଦୀମାନେ ନିରୀହ ଗ୍ରାମବାସୀ ଙ୍କୁ ମାଓ ଦଳରେ ସାମିଲ କରାଉଛନ୍ତି। ସଡକ ସୁବିଧା ନଥିବା ଯୋଗୁ ମାଓବାଦୀ ମାନେ ଉକ୍ତ ଗ୍ରାମ ଗୁଡିକୁ ନିଜର ଆଡ୍ଡାସ୍ଥଳୀ ବନାଇବା ସହ ସେଠାକାର ଆଦିବାସୀଙ୍କୁ ଗଞ୍ଜାଇ ଚାଷ କରିବା ପାଇଁ ଉସୁକାଉଛନ୍ତି।

ସଡ଼କ ସୁବିଧା ନଥିବାରୁ ଏଠାରେ ଶିକ୍ଷା ସହ ବହୁ ସରକାରୀ ଯୋଜନା ବାଟମାରଣା ହେବ ସହ ମାଓବାଦୀଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି। ଏଣୁ ଯଥାଶୀଘ୍ର ଉପରୋକ୍ତ ୧୦୦ଟି ଗ୍ରାମକୁ ସଡ଼କ ଦ୍ୱାରା ସଂଯୋଗ କରାଗଲେ ମାଓବାଦୀଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଶ୍ରୀ ବର୍ମା କହିଛନ୍ତି।

ଶ୍ରୀକାକୁଲମ ଜିଲ୍ଲାପାଳ କେ.ଧନଞ୍ଜୟ ରେଡ୍ଡି କହିଛନ୍ତି ଯେ ଗ୍ରାମୀଣ ବିକାଶ ଯୋଜନା ଦ୍ୱାରା ଶ୍ରୀକାକୁଲମ ଜିଲାରେ ୧୦୦ଟି ମାଓପ୍ରଭାବିତ ଗ୍ରାମକୁ ସଡ଼କ ନିର୍ମାଣ ପାଇଁ ରାଜ୍ୟସରକାର ଅନୁମତି ପ୍ରଦାନ କରିଛନ୍ତି।  ବର୍ତ୍ତମାନ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୧୭ଟି ଗ୍ରାମକୁ ୧୦ କୋଟି ଟଙ୍କା ଖର୍ଚ୍ଚରେ ସଡକ ନିର୍ମାଣ ପାଇଁ ଟେଣ୍ଡର କାର୍ଯ୍ୟ ସମ୍ପୂର୍ଣ କରାଯାଇଛି।

ଶ୍ରୀକାକୁଲମ ଜିଲ୍ଲାର ପାତପାଟନମ, ମଞ୍ଜୁଷା ଓ ସୀତାମପେଟା ପଞ୍ଚାୟତର ମାଓ ପ୍ରଭାବିତ ଗ୍ରାମକୁ ସଡ଼କ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ପରେ ପଲାସା, ସୋମପେଟା, ବଜ୍ରପୁକଟରୁ, କବିଟି, କୋତୁରୁ ଓ ଭାମିନି ପଂଚାୟତରେ ସଡକ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଟେଣ୍ଡର ଡକାଯିବ।

Comment