ଓଡ଼ିଶାଲାଇଭ୍ ବ୍ୟୁରୋ

ହାତୀ ମୃତ୍ୟୁକୁ ରୋକିବା ପାଇଁ ନୂଆ ଉପାୟ, ରେଳଧାରଣା କଡ଼ରେ ଲାଗିବ ମହୁମାଛି ପରି  ଶବ୍ଦ କରୁଥିବା ମେସିନ।

ରାଜ୍ୟରେ ହାତୀ ମୃତ୍ୟୁ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଜାତୀୟ ସ୍ତରରେ ବି ଆଲୋଡ଼ନ ସୃଷ୍ଟି ହେଉଛି। ଟ୍ରେନ ଧକ୍କାରେ ଓଡ଼ିଶାରେ ହାତୀଙ୍କର ମୃତ୍ୟୁ ଘଟୁଛି। ତାହାକୁ ରୋକିବା ପାଇଁ  ବନ ବିଭାଗ ଓ ରେଳ ବିଭାଗ ଏକ ନୂଆ ଉପାୟ ଆପଣେଇବ ।

ରେଳ ଧାରଣା କଡ଼ରେ ଏଣିକି ମହୁମାଛିଙ୍କ ପରି ଶବ୍ଦ କରୁଥିବା ଏକ ମେସିନ  ଲଗାଯିବ। ମେସିନରୁ ଶବ୍ଦ ବାହାରିବା କ୍ଷଣି ହାତୀମାନେ ଆଉ ରେଳ ଧାରଣା କଡ଼କୁ ଯିବେ ନାହିଁ। ଫଳରେ ହାତୀ ମୃତ୍ୟୁକୁ ରୋକାଯାଇ ପାରିବ।

ଏଥିପାଇଁ ପ୍ରଥମେ ଢେଙ୍କନାଳ ଜିଲ୍ଲା ସଦାଶିବପୁର ଷ୍ଟେସନରେ ଏକ ପ୍ରୋଜେକ୍ଟ କାର୍ଯ୍ୟକାରୀ କରାଯିବ। ଏଠାରେ ସଫଳତା ମିଳିଲେ ସାରା ରାଜ୍ୟରେ ଏହି ମେସିନ ଲାଗିବ। ତେବେ କେଉଁ ସ୍ଥାନରେ ଏହି ମେସିନ ଲାଗିବ ସେ ଦାୟିତ୍ଵ ଝାରସୁଗୁଡ଼ା, କେନ୍ଦୁଝର, ଢେଙ୍କାନାଳ ଡିଏଫ୍ଓଙ୍କୁ ଦିଆଯାଇଥିବା ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

କିଛି ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧି ହାତୀ ମୃତ୍ୟୁ ରୋକିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ।

ଏହାପରେ ଶକ୍ତି ଓ ବନ ବିଭାଗ ପକ୍ଷରୁ ଏକ ବୈଠକ ବସିଥିଲା।  ଏହି ବୈଠକରେ ହାତୀଙ୍କ ଚଳାପଥରେ ଥିବା ବିଦ୍ୟୁତ ତାରର ଉଚ୍ଚତା ବଢ଼ାଇବାକୁ ଆଲୋଚନା ହୋଇଥିଲା। ନଭେମ୍ବର ମାସ ଶେଷ ସୁଦ୍ଧା ଏହି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ହୋଇଥିଲେ ହେଁ ଏହା ଏଯାଏଁ ସରିପାରିନି।

Comment