ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ଜମ୍ମୁ କଶ୍ମୀର ଯୁବକଙ୍କ ପାଇଁ ବଡ଼ ଘୋଷଣା – ୩ ମାସ ଭିତରେ ୫୦ ହଜାର ନିଯୁକ୍ତି ସୁଯୋଗ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ରାଜ୍ୟପାଳ ସତ୍ୟପାଲ୍‌ ମଲିକ ବଡ଼ ଘୋଷଣା କରିଛନ୍ତି। ଏଠାକାର ଯୁବକଙ୍କ ପାଇଁ ଆଗାମୀ ୩ ମାସ ଭିତରେ ସରକାରୀ ସ୍ତରରେ ୫୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି କହିଛନ୍ତି ରାଜ୍ୟପାଳ। ‘‘ଜମ୍ମୁ କଶ୍ମୀର ପ୍ରଶାସନିକ ସ୍ତରରେ ୫୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ଏଥିରେ ଜମ୍ମୁ କଶ୍ମୀରର ସମସ୍ତ ଯୁବକ ସାମିଲ ହୁଅନ୍ତୁ। ଏହା ହେଉଛି ଜମ୍ମୁ କଶ୍ମୀର ଇତିହାସରେ ବଡ଼ ନିଯୁକ୍ତି ସୁଯୋଗ’’, କହିଛନ୍ତି ରାଜ୍ୟପାଳ ସତ୍ୟପାଲ୍‌ ମଲିକ।

ସମ୍ବଲପୁର ରେଳ ଷ୍ଟେସନ ହେଲା ‘ନୋ ପ୍ଲାଷ୍ଟିକ ଜୋନ୍‌’

ଓଡ଼ିଶାର ସମ୍ବଲପୁର ରେଳ ଷ୍ଟେସନକୁ ‘ନୋ ପ୍ଲାଷ୍ଟିକ ଜୋନ୍‌’ ଭାବେ ଘୋଷଣା କରାଯାଇଛି। ଏହା ଦ୍ୱାରା ସମ୍ବଲପୁର ଦେଶର ଦ୍ୱିତୀୟ ‘ପ୍ଲାଷ୍ଟିକ ଫ୍ରି’ ରେଳ ଷ୍ଟେସନ ଭାବେ ଗୌରବ ଲାଭ କରିଛି। ଏହା ପୂର୍ବରୁ ରେଳ ମନ୍ତ୍ରାଳୟ ପକ୍ଷରୁ ତିରୁପତି ରେଳ ଷ୍ଟେସନକୁ ଦେଶର ପ୍ରଥମ ‘ନୋ ପ୍ଲାଷ୍ଟିକ ଜୋନ’ ରୂପେ ଘୋଷଣା କରାଯାଇଥିଲା।

ଦେଶରେ ଖୋଲିବ ଆଉ ୭୫ଟି ମେଡିକାଲ କଲେଜ

ଆଗାମୀ ୩ ବର୍ଷ ମଧ୍ୟରେ ଭାରତରେ ଆଉ ୭୫ଟି ମେଡିକାଲ କଲେଜ ଖୋଲିବ। ଆଜି କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର ସୂଚନା ଦେଇଛନ୍ତି।

ମୟୂରଭଞ୍ଜ ଏଡିଜେ କୋର୍ଟରୁ ଆସିଲା ଗୁରୁତ୍ୱପୂର୍ଣ୍ଣ ରାୟ – ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ବର୍ଷେ ଭିତରେ ମାମଲାର ବିଚାର କରି ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ପୋକ୍ସ ଆଇନରେ ସଂଶୋଧନ ପରେ ମୟୂରଭଞ୍ଜ ଜିଲ୍ଲାରେ ଏଭଳି ଦଣ୍ଡାଦେଶ ପ୍ରଥମ ବୋଲି କୁହାଯାଉଛି।ଏହି ରାୟକୁ ପୀଡ଼ିତାଙ୍କ ବାପା ସ୍ୱାଗତ କରିଛନ୍ତି। ମୋ’ ଝିଅର ଅମର ଆତ୍ମାକୁ ଶାନ୍ତି ମିଳିବ ବୋଲି ସେ କହିଛନ୍ତି।

ଡିସେମ୍ବରରେ ବିଜେପିର ନବକଳେବର – କିଏ ହେବେ ରାଜ୍ୟ ସଭାପତି?

ଡିସେମ୍ବର ୧ରୁ ୧୫ ତାରିଖ ଭିତରେ ବିଜେପି ତାର ନୂଆ ରାଜ୍ୟ ସଭାପତି ଚୟନ କରିବ। ଏବେଠାରୁ ଏହି ସଭାପତି ପଦକୁ ନେଇ କାଉଣ୍ଟ ଡାଉନ ଆରମ୍ଭ ହୋଇଛି। ସଭାପତି ପଦ ପାଇଁ ତିନିରୁ ଚାରି ନେତାଙ୍କ ନାଁ ଚର୍ଚ୍ଚା ହେଉଛି।

ବିଜେପି ରାଜ୍ୟ ସଭାପତି ପଦ ପାଇଁ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନାଁ ରେସ୍‌ରେ ରହିଛି। ଏହାସହ ବସନ୍ତ ପଣ୍ଡାଙ୍କ ନାଁକୁ ନେଇ ବି ଚର୍ଚ୍ଚା ହେଉଛି। ତେବେ ଏମାନଙ୍କ ଭିତରୁ କାହା ମୁଣ୍ଡରେ ସଭାପତି ପଗଡ଼ି ବନ୍ଧା ଯିବ ତାହା ଅପେକ୍ଷା କରି ଦେଖିବାର କଥା।

ବରମୁଣ୍ଡା ବସ୍‌ ଷ୍ଟାଣ୍ଡରେ ଜଳିଗଲା ବସ୍

ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଥିବା ବସ୍‌ରେ ଲାଗିଲା ନିଆଁ। ନିଆଁ ଲାଗି ବସ୍‌ଟି ପୋଡ଼ି ପାଉଁଶ ହୋଇଯାଇଛି। ଖବରପାଇ ଫାୟାର ଷ୍ଟେସନରୁ ଅଗ୍ନିଶମ କର୍ମଚାରୀ ବରମୁଣ୍ଡା ବସ୍‌ ଷ୍ଟାଣ୍ଡରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

କାଲିଠୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ଫିଟ୍‌ ଇଣ୍ଡିଆ’ ଅଭିଯାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା କାଲିଠୁ ଆରମ୍ଭ କରିବାକୁ ଯାଉଛନ୍ତି ‘ଫିଟ୍‌ ଇଣ୍ଡିଆ’ ଅଭିଯାନ। ଦେଶବାସୀଙ୍କୁ ସୁସ୍ଥସବଳ ରଖିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ରହିବ। ଅଗଷ୍ଟ ୨୯ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଏହି ‘ଫିଟ୍‌ ଇଣ୍ଡିଆ’ ଅଭିଯାନ ଆରମ୍ଭ ହେବ।

ଡିଜିଟାଇଜେସନ ହେବ ରଘୁନନ୍ଦନ ଲାଇବ୍ରେରୀର ସମସ୍ତ ବହି

‘‘ରଘୁନନ୍ଦନ ଲାଇବ୍ରେରୀର ସମସ୍ତ ବହି ହେବ ଡିଜିଟାଇଜେସନ୍‌। ଏହାସହ ଯେଉଁଠି ଏମାର ମଠ ରହିଥିଲା ସେହିଠାରେ ହିଁ ଲାଇବ୍ରେରୀର ପୁନଃପ୍ରତିଷ୍ଠା କରାଯିବ। ଲାଇବ୍ରେରୀକୁ ଆଧୁନିକୀକରଣ କରାଯିବ’’, କହିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ।

ଧମକ ପରେ ଭାରତ ପାଇଁ ଏୟାରସ୍ପେସ୍ ବନ୍ଦ କଲା ପାକିସ୍ତାନ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନର ମୁଣ୍ଡ ଖରାପ ହୋଇଯାଇଛି। ପ୍ରତିଦିନ ପାକିସ୍ତାନ ଭାରତକୁ ନୂଆ ନୂଆ ଧମକ ଦେଉଛି। ପରମାଣୁ ଯୁଦ୍ଧର ଧମକ ପରେ ବୁଧବାର ପାକିସ୍ତାନ ଇଣ୍ଟରନ୍ୟାସନାଲ ଫ୍ଲାଇଟ ପାଇଁ  ଏୟାରସ୍ପେସ୍‌ ବନ୍ଦ କରିଛି। ବର୍ତ୍ତମାନ କରାଚୀରୁ ୩ଟି ରୁଟ୍‌ରେ ବିମାନ ଚଳାଚଳ ବନ୍ଦ କରିଛି ପାକିସ୍ତାନ।

ଚନ୍ଦ୍ରର ତୃତୀୟ କକ୍ଷରେ ଚନ୍ଦ୍ରଯାନ ୨

ଭାରତର ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା ଇସ୍ରୋକୁ ମିଳିଛି ଆଉ ଏକ ସଫଳତା। ବୁଧବାର ସକାଳେ ଚନ୍ଦ୍ରଯାନ ୨ ସଫଳତା ପୂର୍ବକ ଚନ୍ଦ୍ରର ତୃତୀୟ କକ୍ଷରେ ପ୍ରବେଶ କରିଛି।

ଏବେ ନଅଶହ ବର୍ଷ ପୁରୁଣା ଏମାର୍‌ ମଠ ପାଳି – ବୁଲିଲା ବୁଲଡୋଜର୍‌

ପୁରୀ ଶ୍ରୀମନ୍ଦିର ଉତ୍ତର ପାର୍ଶ୍ଵରେ ଥିବା ଲଙ୍ଗୁଳି ମଠ ମାଟିରେ ମିଶିବା ପରେ ଏବେ ଐତିହାସିକ ଏମାର ମଠର ପାଳି। ବଡ଼ଦାଣ୍ଡରୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଉତ୍ତର ପାଶ୍ୱର ଥିବା ଲଙ୍ଗୁଳି ମଠ ଜେସିବି ମାଡ଼ରେ ମାଟିରେ ମିଶିଛି। ଏବେ ଏମାର ମଠକୁ ବୁଲଡୋଜର ଲଗାଇ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଏମାର ମଠ ସହ ଏହି କୋଠାରେ ଥିବା ୧୦୦ ବର୍ଷର ପୁରୁଣା ରଘୁନନ୍ଦନ ଲାଇବ୍ରେରୀ ମଧ୍ୟ ଭାଙ୍ଗିବ।

ଏଟିଏମ୍‌ ନେଣଦେଣ ଉପରେ କଟକଣା: ୬ ଘଣ୍ଟା ମଧ୍ୟରେ ଦୁଇ ଥର ଉଠାଇ ପାରିବେ ନାହିଁ ଟଙ୍କା

ପ୍ରତି ଏଟିଏମ୍‌ ନେଣଦେଣ ମଧ୍ୟରେ ୬ ରୁ ୧୨ ଘଣ୍ଟାର ଅନ୍ତର ରଖିବା ପାଇଁ ଦିଲ୍ଲୀ ଷ୍ଟେଟ୍‌ ଲେବଲ୍‌ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି) ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଛି। ଅର୍ଥାତ ଏଟିଏମରୁ ଥରେ ଟଙ୍କା ଉଠାଇବାର ୬ ଘଣ୍ଟା ପରେ ହିଁ ଜଣେ ଗ୍ରାହକ ଦ୍ୱିତୀୟ ଥର ଟଙ୍କା ଉଠାଇବା ପାଇଁ ସମର୍ଥ ହେବ।

ସରକାରଙ୍କ ସପକ୍ଷରେ ରାହୁଲ – କହିଲେ କଶ୍ମୀର ମାମଲାରେ ପାକିସ୍ତାନ ମୁଣ୍ଡ ନଖେଳାଉ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ମୁହଁ ଖୋଲିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଥିବା ରାହୁଲ ପ୍ରଥମ ଥର ପାଇଁ କଶ୍ମୀର ପ୍ରସଙ୍ଗରେ ପରୋକ୍ଷରେ ସରକାରଙ୍କ ସପକ୍ଷରେ ବାହାରିଛନ୍ତି।

ବିଦ୍ୟାର୍ଥୀ ପରୀକ୍ଷାରେ ଖରାପ ପ୍ରଦର୍ଶନ କଲେ ପ୍ରଧାନ ଶିକ୍ଷକଙ୍କ ବଢ଼ିବନି ଦରମା  

ମାଟ୍ରିକ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ବିଦ୍ୟାଳୟ ପାଇଁ କଠୋର ହେଲେ ରାଜ୍ୟ ସରକାର। ଶୂନ ଫଳ ରଖିଥିବା ଓ ୫୦ ପ୍ରତିଶତରୁ କମ ରେଜଲ୍ଟ କରିଥିବା ସ୍କୁଲ ପ୍ରଧାନ ଶିକ୍ଷକଙ୍କ ବାର୍ଷିକ ବେତନ ବୃଦ୍ଧି ହେବ ନାହିଁ। ସମସ୍ତ ସରକାରୀ ସ୍କୁଲ, ଅନୁଦାନପ୍ରାପ୍ତ , ଉନ୍ନୀତ ବିଦ୍ୟାଳୟ ପାଇଁ ଏହି ନିୟମ ଲାଗୁ ହେବ।

ମାଲକାନଗିରି: ମାଓ ଗୁଳିରେ ଜଣେ ଯବାନ ସହିଦ

ମାଲକାନଗିରିରେ ମାଓ ଗୁଳିରେ ଜଣେ ଯବାନ ସହିଦ ହୋଇଥିଲା ବେଳେ ଅନ୍ୟ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯବାନଙ୍କ ଖଇରପୁଟ ମେଡିକାଲରେ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ପାଇ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ସଂପୃକ୍ତ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।

Comment